ମୂଳକୁ ଯାଆନ୍ତୁ।
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ । ସେ ଆମ୍ଭମାନଙ୍କ ପାପ ପ୍ରମାଣେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରି ନାହାନ୍ତି, କିଅବା ଆମ୍ଭମାନଙ୍କ ଅଧର୍ମାନୁସାରେ ଆମ୍ଭମାନଙ୍କୁ ପ୍ରତିଫଳ ଦେଇ ନାହାନ୍ତି । କାରଣ ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ମହତ । ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି ।
ଗୀତସଂହିତା ୧୦୩: ୮, ୧୦-୧୨
ଦାଉଦଙ୍କର ଗୀତ ମଧ୍ୟରୁ ଗୀତସଂହିତା ୧୦୩ ମୋହର ଏକ ପ୍ରିୟ ଗୀତ ଅଟେ, ଏହା ଏକ ସୁନ୍ଦର ଗୀତ ଯାହା ବର୍ଣ୍ଣନା କରେ ଯେ ଈଶ୍ଵର ପ୍ରକୃତରେ କିଏ ଏବଂ କ’ଣ ଅଟନ୍ତି – ଈଶ୍ଵର ଅନୁଗ୍ରହରେ ପରିପୂର୍ଣ୍ଣ ଏବଂ ଏକ ଦୟାଳୁ ତ୍ରାଣକର୍ତ୍ତା ଅଟନ୍ତି । ସଠିକ ବିଶ୍ଵାସ, ଆପଣ ଈଶ୍ଵରଙ୍କ ବିଷୟରେ କ’ଣ ବିଶ୍ଵାସ କରନ୍ତି ତହିଁରୁ ଆରମ୍ଭ ହୁଏ ଏବଂ ଈଶ୍ଵରଙ୍କ ବାକ୍ୟର ଦୃଢ଼ ମୂଳଦୁଆ ଉପରେ ଆଧାରିତ ହେବା ଆବଶ୍ୟକ ।
ଏହି ବିଷୟରେ ସତ୍ୟ ଜାଣିବା ଆବଶ୍ୟକ ଯେ ଈଶ୍ଵର କିଏ ଏବଂ କ’ଣ ଅଟନ୍ତି । କାରଣ ଆମେ ମଣିଷର ଭାବନା, ପରିସ୍ଥିତି, ଅନୁମାନ କିମ୍ବା ଲୋକେ ଈଶ୍ଵରଙ୍କ ବିଷୟରେ କ’ଣ କୁହନ୍ତି, ତଦ୍ଵାରା ଜାଣିପାରିବା ନାହିଁ । ଈଶ୍ଵରଙ୍କୁ ଜାଣିବା ପାଇଁ ଆମକୁ ପ୍ରାରମ୍ଭରୁ (ମୂଳରୁ) ବୁଝିବାକୁ ପଡିବ ।
“ଯଦି ଆପଣ ଜଣଙ୍କ ଠାରୁ ଶୁଣିଲେ ଯେ ଆପଣଙ୍କ ପରିଚିତ ବ୍ୟକ୍ତି ଆପଣଙ୍କ ବିଷୟରେ ଅସାର କଥା କହୁଛନ୍ତି, ତେବେ ଏହାକୁ ତୁରନ୍ତ ବିଶ୍ଵାସ କରନ୍ତୁ ନାହିଁ । ପ୍ରଥମେ ମୂଳକୁ ଯାଆନ୍ତୁ ଓ ସେହି ପରିଚିତ ବ୍ୟକ୍ତିଙ୍କୁ ପଚାରନ୍ତୁ ଯଦି ସେ ସତରେ ଏପରି କହୁଛନ୍ତି କିମ୍ବା ପ୍ରକୃତରେ ତାଙ୍କର ଏପରି କହିବାର ଅର୍ଥ ଥିଲା ।
ଅନେକ ଲୋକ ପ୍ରକୃତରେ ସେହି ପରିଚିତ ବ୍ୟକ୍ତିଙ୍କଠାରୁ ବୁଝିବା ପୂର୍ବରୁ ତିକ୍ତ, କ୍ରୋଧୀ ଓ ନିରାଶ ହୋଇଯାଆନ୍ତି । ଏବଂ ସେହି ଅସାର କଥାକୁ ବିଶ୍ଵାସ କରି ନିଜ ମୂଲ୍ୟବାନ ବନ୍ଧୁତା ଓ ସମ୍ପର୍କକୁ ଭାଙ୍ଗି ଦିଅନ୍ତି ।”
ଠିକ୍ ସେହିପରି ଏହି ଦୁନିଆରେ ଇଶ୍ଵରଙ୍କୁ ନେଇ ସବୁ ପ୍ରକାର ଭୁଲ୍ ଧାରଣା ସୃଷ୍ଟି ହୋଇଅଛି ଯେ, “ଇଶ୍ଵର ଆପଣଙ୍କ ପ୍ରତି କ୍ରୋଧିତ ଅଟନ୍ତି, ସେ ଆପଣଙ୍କ ପ୍ରତି ଅସନ୍ତୁଷ୍ଟ ଅଟନ୍ତି ଓ ଆପଣଙ୍କ ଅତୀତର ପାପ ପାଇଁ ଆପଣଙ୍କ ସହିତ ଏହି ସବୁ ଅମଙ୍ଗଳ ଘଟଣା ଘଟିବାକୁ ଦେଉଅଛନ୍ତି । “
ଦୟାକରି ଇଶ୍ଵରଙ୍କ ବିଷୟରେ ଏହି ସମସ୍ତ ଭିତ୍ତିହୀନ ଅସାର କଥାଗୁଡ଼ିକୁ ବିଶ୍ଵାସ କରନ୍ତୁ ନାହିଁ! ଈଶ୍ଵରଙ୍କ ଏପରି ଛବି, ତାହାଙ୍କ ସହିତ ଅନେକ ଲୋକଙ୍କ ସମ୍ପର୍କ ନଷ୍ଟ କରିଦେଇଅଛି, ଏବଂ ଲୋକେ ପ୍ରକୃତରେ ଈଶ୍ଵରଙ୍କ ବିଷୟରେ ଏକ ବିକୃତ ଦୃଷ୍ଟିକୋଣ ସହିତ ବଞ୍ଚିଥାନ୍ତି ।
ତାହାଙ୍କ ପ୍ରେମ, ଅନୁଗ୍ରହ ଓ କ୍ଷମା ପାଇବା ପରିବର୍ତ୍ତେ ସେମାନେ ଭୟଭୀତ ହୁଅନ୍ତି ଓ ତାହାଙ୍କଠାରୁ ଦୂରେଇ ଯାଆନ୍ତି । ଯୀଶୁଙ୍କୁ ସେମାନଙ୍କ ପରିସ୍ଥିତିରେ ଆସିବାକୁ ଅନୁମତି ଦେବା ପରିବର୍ତ୍ତେ ସେମାନେ ପଳାୟନ କରି, ତାହାଙ୍କ ଠାରୁ ଲୁଚି ରହି ଜୀବନ ଅତିବାହିତ କରନ୍ତି ।
ଆସନ୍ତୁ ଇଶ୍ଵରଙ୍କୁ ସମ୍ମାନ ଦେଇ ପ୍ରାରମ୍ଭକୁ (ମୂଳକୁ) ଯାଉ । ଆଜିର ବାକ୍ୟରେ ବାଇବଲ ତାହାଙ୍କ ବିଷୟରେ କ’ଣ କହୁଅଛି ତାହା ପୁଣି ଥରେ ଦେଖନ୍ତୁ: “କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ . . . ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି ।”
ଏହା ଆମ୍ଭମାନଙ୍କର ପରମେଶ୍ଵର! ଏହି କାରଣରୁ ଆପଣ ସର୍ବଦା ତାହାଙ୍କ ପାଖକୁ ଦୌଡ଼ି ଯାଇପାରିବେ ଓ ବିଶ୍ଵାସ କରିପାରିବେ ଯେ ସେ ନିଶ୍ଚିତ ଭାବରେ ଆପଣକୁ ସାହାଯ୍ୟ କରିବେ!
ସେ ଆପଣଙ୍କୁ ପାଗଳ ଭଳି ପ୍ରେମ କରନ୍ତି!